ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲାରେ ଭିଜିଲାନ୍ସର ବଡ଼ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଭବାନୀପାଟଣା ଆର୍ ଆଣ୍ଡ ବି ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ୬ଟି ସ୍ଥାନରେ ମିଳିତ ଭାବେ ଚଢ଼ାଉ ଚାଲିଛି। ଆଜି ସକାଳୁ ଓଡ଼ିଶା ଭିଜିଲାନ୍ସର ଏକାଧିକ ଟିମ୍ ଭବାନୀପାଟଣା ଓ କୋକସରା ଓ ଧର୍ମଗଡ଼ ଅଞ୍ଚଳରେ ଏକାସାଙ୍ଗେ ଚଢ଼ାଉ ଆରମ୍ଭ କରିଥିଲେ। ଭବାନୀପାଟଣା ଭିଜିଲାନ୍ସ ନ୍ୟାୟାଧୀଶଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।
ଭିଜିଲାନ୍ସ ଟିମ୍ ଭବାନୀପାଟଣାର ଥିବା ଦୁଇ ମହଲା ଘର, କୋକସରା ବ୍ଲକର କୁସୁମଖୁଣ୍ଟି ଗ୍ରାମରେ ଥିବା ପୈତୃକ ଘର, କିଟପଡ଼ାର ଫାର୍ମ ହାଉସ, ଦୁଆରସୁନି ପଡାର ନିର୍ମାଣାଧୀନ ଘର, ଧର୍ମଗଡ଼ କାର୍ଯ୍ୟାଳୟ ଉପରେ ଚଢ଼ାଉ କରୁଛି। ଭୁବନେଶ୍ୱର ଶବରଙ୍କ ନାମରେ ଥିବା ଅଚଳାଚଳ ସମ୍ପତ୍ତି, ବ୍ୟାଙ୍କ ଜମା, ଦଲିଲପତ୍ର ଓ ଅନ୍ୟାନ୍ୟ ଆର୍ଥିକ କାଗଜପତ୍ରର ଯାଞ୍ଚ ଚାଲିଥିବା ସୂଚନା ମିଳିଛି। ତେବେ ଚଢ଼ାଉ ଶେଷ ହୋଇନଥିବାରୁ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ଏଯାବତ୍ ସ୍ପଷ୍ଟ ସୂଚନା ମିଳିନାହିଁ।
