ବଲାଙ୍ଗିର : ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲଦାରଙ୍କ କାର୍ଯ୍ୟାଳୟର କୋର୍ଟ ଅମିନ ନିର୍ମଳେନ୍ଦୁ କବି। ତାଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ଦେଇଥିବା ସୂଚନା ଅନୁଯାୟୀ, ନକ୍ସା ପ୍ରସ୍ତୁତ କରିବା, ଜମି ଭାଗବଣ୍ଟା ଜନିତ ଫାଇଲ କାମକୁ ଆଗେଇ ନେବା ଓ ସଂପୃକ୍ତ ଅଂଶୀଦାରମାନଙ୍କୁ ନୂଆ ପଟ୍ଟା ପ୍ରଦାନ କରିବା ପାଇଁ କୋର୍ଟ ଅମିନ ନିର୍ମଳେନ୍ଦୁ କବି ଜଣେ ଆବେଦନକାରୀଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଆବେଦନକାରୀ ଲାଞ୍ଚ ଦେବାକୁ ଅମଙ୍ଗ ହୋଇଥିଲେ। ସେ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ଏହା ପରେ ଯୋଜନା ପ୍ରକାରେ ଆଜି ଆବେଦନକାରୀ କୋର୍ଟ ଅମିନ ନିର୍ମଳେନ୍ଦୁ କବିଙ୍କୁ ୧୫ ହଜାର ଟଙ୍କା ଦେଇଥିଲେ। ଶ୍ରୀ କବି ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଲାଞ୍ଚ ନେଇ ଧରାପଡ଼ିବା ପରେ କୋର୍ଟ ଅମିତ ଶ୍ରୀ କବିଙ୍କ ୩ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି। ଏହାର ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନାର ଏଏସ୍ଆଇ ପ୍ରଶାନ୍ତ ପ୍ରଧାନ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏକ ଜମି ବିବାଦ ମାମଲାରେ ଅଭିଯୋଗକାରୀଙ୍କ ସପକ୍ଷରେ ରିପୋର୍ଟ ପ୍ରଦାନ କରିବା ପାଇଁ ଏହି ଲାଞ୍ଚ ନେଇଥିଲେ।
