ସୁଜାତା କାର୍ତିକେୟନ ବିଜେଡି ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା
ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ସୁଜାତାଙ୍କ ପଲଟିକାଲ୍ ପୋଷ୍ଟ
ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ଆର୍ କାର୍ତ୍ତିକେୟନ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହେବା ଏବଂ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଚର୍ଚ୍ଚା ଏବେ ଜୋର୍ ଧରିଛି । ନିର୍ବାଚନ ପରେ ଭି.କେ. ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବା ପରେ, ତାଙ୍କ ପତ୍ନୀ ସୁଜାତାଙ୍କୁ ଦଳର ଏକ ଶକ୍ତିଶାଳୀ ଚେହେରା ଭାବେ ସାମ୍ନାକୁ ଅଣାଯିବା ନେଇ ଚର୍ଚ୍ଚା ଶିଖରରେ ପଂହଚିଛି ।
ବିଜେଡି ନେତା ମନ୍ମଥ ରାଉତରାୟ ଏକ ବଡ଼ ସଙ୍କେତ ଦେଇ କହିଛନ୍ତି ଯେ, ଦଳର ସମସ୍ତ ସଦସ୍ୟ ଚାହୁଁଛନ୍ତି ସୁଜାତା ଆଗକୁ ଆସନ୍ତୁ । ତାଙ୍କର ପ୍ରଶାସନିକ ଦକ୍ଷତା ଏବଂ ଜ୍ଞାନ ବିଜେଡିକୁ ସଂଗଠିତ କରିବାରେ ବହୁତ ସାହାଯ୍ୟ କରିବ ଏବଂ ବିଜେଡି ନେତୃତ୍ୱ ତାଙ୍କ ଆସିବାକୁ ଅପେକ୍ଷା କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଜୁନ୍ ୧୦ ତାରିଖ ବୁଧବାର ଦିନ ହେବାକୁ ଯାଉଥିବା ମେଗା ବୈଠକ ଉପରେ ଏବେ ସମସ୍ତଙ୍କ ନଜର । ନବୀନ ପଟ୍ଟନାୟକ ଜୁନ୍ ୧୦ ତାରିଖରେ ଶଙ୍ଖ ଭବନରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇ ସୁଜାତା କାର୍ତ୍ତିକେୟନଙ୍କୁ କୌଣସି ବଡ଼ ପଦବୀ କିମ୍ୱା ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇପାରେ ।
ସେ ଜଣେ କେନ୍ଦ୍ରାପଡ଼ାର ଝିଅ । ଜଣେ ଓଡ଼ିଆ ମହିଳା ହୋଇଥିବାରୁ, ପୂର୍ବରୁ ଲାଗିଥିବା “ବାହାର ନେତା’ ଅଭିଯୋଗକୁ ଏହା ସମ୍ପୂର୍ଣ୍ଣ ରୂପେ ଦୂର କରିବ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଜେଏନ୍ୟୁ ବିଶ୍ୱ ବିଦ୍ୟାଳୟରୁ ରାଜନୀତିରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିବାରୁ ରାଜନୀତିରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ମାଓ ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ସୁଜାତା ଅନେକ ସାମାଜିକ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ୨୦୦୫ ମସିହାରେ ପ୍ରଥମେ ସେ ହାଇସ୍କୁଲ ଛାତ୍ରୀମାନଙ୍କ ପାଇଁ ସାଇକେଲ ବଣ୍ଟନ ଯୋଜନା ଆରମ୍ଭ କରିଥିଲେ । ୨୦୦୬ ମସିହାରେ ସେ ପ୍ରଥମେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବା ପରେ ସାରା ରାଜ୍ୟରେ ପରବର୍ତ୍ତୀ ସମୟରେ ଏହା ଲାଗୁ କରାଯାଇଥିଲା । ସୁନ୍ଦରଗଡ଼ ଭଳି ମାଓ ପ୍ରବଣ ଅଂଚଳରେ ଯୁବପିଢ଼ୀଙ୍କ ମଧ୍ୟରେ କ୍ରୀଡ଼ା ବିଶେଷ କରି ଫୁଟବଲ ଓ ହକି ଖେଳ ପାଇଁ ଉତ୍ସାହିତ କରି ସେମାନଙ୍କ ପାଇଁ କ୍ରୀଡ଼ା ସରଞ୍ଜାମ ବଣ୍ଟନ କରିଥିଲେ ଏବଂ ପରେ କ୍ରୀଡ଼ା ଛାତ୍ରାବାସ ପ୍ରତିଷ୍ଠା କରିଥିଲେ ।
ସୁଜାତା “ମିଶନ ଶକ୍ତି” ବିଭାଗର ସଚିବ ଭାବେ ଦୀର୍ଘ ୭ବର୍ଷ ଧରି ମହିଳା ସଶକ୍ତିକରଣ ପାଇଁ କାମ କରିବା ପରେ ୭୦ଲକ୍ଷ ମହିଳାଙ୍କୁ ସହାୟତା କରିବା ପାଇଁ ବ୍ୟାଙ୍କ ଋଣ ସଂଯୋଗୀକରଣ କରାଇ ୫ଶହ କୋଟିରୁ ୧୫ହଜାର କୋଟି ଟଙ୍କା ଋଣ ଦେବାରେ ବ୍ୟବସ୍ଥା ସେ କରାଇ ପାରିଥିଲେ । ଯାହା ଓଡ଼ିଶାର ଲକ୍ଷ ଲକ୍ଷ ମହିଳା ଭୋଟରଙ୍କ ସହ ସିଧାସଳଖ ଜଡ଼ିତ । ଆଇଏଏସ୍ ଅଧିକାରୀ ଭାବେ ତାଙ୍କର ବ୍ୟାପକ ଅନୁଭୂତି ଦଳର ପରିଚାଳନାରେ ସହାୟକ ହେବ । କଟକରେ ଜିଲ୍ଳାପାଳ ଭାବେ କାର୍ଯ୍ୟ କଲା ବେଳେ ସେ ପ୍ରଥମେ ଗର୍ଭବତୀ ମହିଳାଙ୍କୁ ପ୍ରୋତ୍ସାହନ ରାଶି ଦେଇ ମମତା ଯୋଜନାର ମୂଳ ଭିତ୍ତିଭୂମି ପକାଇଥିଲେ । ସେହିପରି ସଂସ୍କୃତି ବିଭାଗର ସଚିବ ଭାବେ ସ୍ପଳ୍ପ କାର୍ଯ୍ୟକାଳରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରି ଜଣେ ପ୍ରକୃତ ଓଡ଼ିଆଣୀ ଭାବେ ଓଡ଼ିଆ ଅସ୍ମିତାର ପରିଚୟ ଦେଇ ପାରିଥିଲେ । ପାଣ୍ଡିଆନ ପରିବାର ପ୍ରତି ନବୀନ ପଟ୍ଟନାୟକଙ୍କ ଭରସା ରହିଥିବାରୁ ସେ ଦଳର ଦ୍ୱିତୀୟ ସର୍ବୋଚ୍ଚ ନେତା ହେବା ଦୌଡ଼େର ଆଗରେ ଅଛନ୍ତି । ସେ ନିଜ ଚାକିରିରୁ ଅବସର ନେବା ପରଠାରୁ ହିଁ ସେ ପରୋକ୍ଷରୁ ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ବାଟ ସଫା ହୋଇଥିଲା । ଏହି ଚର୍ଚ୍ଚାକୁ ନେଇ ଓଡ଼ିଶା ରାଜନୀତିରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବିଜେଡିର ଯୁବ ସଂଗଠନ ଏବଂ କିଛି ବରିଷ୍ଠ ନେତା ଏହାକୁ ସ୍ୱାଗତ କରୁଥିବା ବେଳେ, ବିରୋଧୀ ଦଳ ଏହାକୁ ନେଇ ସମାଲୋଚନା ମଧ୍ୟ ଆରମ୍ଭ କଲେଣି ।
ତେବେ ସେ ଯାହା ବି ହେଉ, ଜଣେ ଅଣଓଡ଼ିଆ ବୋହୂ ଭାବେ ବିହାରୀ ଝିଅକୁ ଯଦି ଓଡ଼ିଶାରେ ରାଜନୀତି କରିବାର ସୁଯୋଗ ମିଳୁଛି,ତେବେ ଜଣେ ଓଡ଼ିଆ ଝିଅ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କୁ ଗଭୀର ଅଭିଜ୍ଞତା ଥିବାରୁ ତାଙ୍କୁ ଓଡ଼ିଶାରେ ରାଜନୀତିରେ ସୁଯୋଗ ମିଳିବାର ଅଧିକାର ରହିଛି ।
