କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଆତ୍ମସାତ ମାମଲାରେ ଆଉ ୨ ଗିରଫ

କୋରାପୁଟ : କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (KCC)ର ମାଲକାନଗିରି ଶାଖାରୁ ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ଓଡ଼ିଶା ଭିଜିଲାନ୍ସ ଆଜି ବଡ଼ ସଫଳତା ପାଇଛି। ଏହି ମାମଲାରେ ଶାଖା ପ୍ରବନ୍ଧକ ସୁଧାଂଶୁ ଖୋରାଙ୍କ ସହ ଜଡ଼ିତ ଥିବା ସୁଶ୍ରୀ ନିବେଦିତା ତରାଇ ଏବଂ ତାଙ୍କ ଲିଭ୍-ଇନ୍ ପାର୍ଟନର ନୃସିଂହ ପ୍ରସାଦ ଖମାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସରକାରୀ ତହବିଲରୁ ୧.୦୮ କୋଟି ଟଙ୍କାରୁ ଅଧିକ ଅର୍ଥ ଆତ୍ମସାତ୍ ଘଟଣାରେ ସେମାନଙ୍କ ସଂପୃକ୍ତି ଥିବା ପ୍ରମାଣ ମିଳିଛି।

ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି ଯେ, ସୁଧାଂଶୁ ଖୋରାଙ୍କ ସହ ସୁଶ୍ରୀ ନିବେଦିତା ତରାଇଙ୍କ ପରିଚୟ ଫେସବୁକ୍ ମାଧ୍ୟମରେ ହୋଇଥିଲା। ପରେ ସେମାନେ ମିଶି ବ୍ୟାଙ୍କରୁ ଅର୍ଥ ହଡ଼ପ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଅନ୍ୟପଟେ, ନୃସିଂହ ପ୍ରସାଦ ଖମାରୀ ଦୀର୍ଘଦିନ ଧରି ସୁଶ୍ରୀ ତରାଇଙ୍କ ସହ ଲିଭ୍-ଇନ୍ ସମ୍ପର୍କରେ ଥିବା ତଥ୍ୟ ସାମ୍ନାକୁ ଆସିଛି। ପୃଥକ ତଦନ୍ତ ଓ ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଏହି ଦୁଇଜଣ ପେଶାଦାର ଠକ। ସେମାନେ ଅନେକ ଲୋକଙ୍କୁ ଠକିଥିବା ସନ୍ଦେହ କରାଯାଉଛି।

ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଥିବା ସେମାନଙ୍କ ଘରରେ ଚଢ଼ାଉ ବେଳେ ୩୩ଟି ମୋବାଇଲ୍ ଫୋନ୍‌ ମିଳିଥିଲା। ସେଥିରୁ ୨୭ଟିକୁ ଅପରାଧ ପରେ ପ୍ରମାଣ ନଷ୍ଟ କରିବା ପାଇଁ ଭାଙ୍ଗି ଦିଆଯାଇଥିବା ଜଣାପଡ଼ିଛି। ଏକ ଡେସ୍କଟପ୍‌, ଟ୍ୟାବ୍‌, ଆତ୍ମସାତ୍ ଟଙ୍କାରେ କିଣାଯାଇଥିବା ସୁନା ଗହଣା, ଡ୍ରୋନ୍‌, ହାଇଏଣ୍ଡ କ୍ୟାମେରା ସହ ଅନ୍ୟାନ୍ୟ ବହୁ ସାମଗ୍ରୀ ଜବତ କରାଯାଇଛି। ଭିଜିଲାନ୍ସ ସୂଚନା ଅନୁସାରେ ସୁଧାଂଶୁ ଖୋରା ଓ ସୁଶ୍ରୀ ନିବେଦିତା ତରାଇ ଏକ ଠକେଇ ନେଟୱର୍କ ଚଲାଉଥିଲେ ଏବଂ ଲୋକଙ୍କୁ ଠକି ଅବୈଧ ଭାବେ ସମ୍ପତ୍ତି ସଂଗ୍ରହ କରୁଥିଲେ। ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ କରାଯାଉଛି।

Leave a Reply