ମମତାଙ୍କ ବୈଠକକୁ ଆସିଲେନି ୯ ବିଧାୟକ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପଛରେ ରହିଛି ଅନ୍ତର୍ଘାତୀ କାର୍ଯ୍ୟ। ଦଳର କିଛି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ବିଶ୍ୱାସଘାତକତା ଯୋଗୁ ହାରିଛି ଦଳ। ନିର୍ବାଚନ ଫଳାଫଳ ଆସିବା ପରେ ଗତକାଲି ମମତା ବାନାର୍ଜୀଙ୍କ ଦକ୍ଷିଣ କୋଲକାତାର କାଲିଘାଟ ସ୍ଥିତ ବାସଭବନରେ ବସିଥିବା ପ୍ରଥମ ବୈଠକରେ ସେ ନିଜେ କରିଥିଲେ ଏହି ଅଭିଯୋଗ। ଏହା ସହିତ ଏହାର ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ବି ଦଳ ବା ଏହାର ନେତୃତ୍ୱ ବିରୋଧରେ ଯିବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମମତା ଚେତାବନୀ ଦେଇଛନ୍ତି।

ସେହିପରି ଗତକାଲି ବୈଠକରେ ମମତା କହିଥିଲେ, ଆମେ ଜନାଦେଶକୁ ସମ୍ମାନ କରୁଛୁ। କିନ୍ତୁ ମୁଁ ଇସ୍ତଫା ଦେବି ନାହିଁ। ଯେଉଁଭଳି ଢଙ୍ଗରେ ନିର୍ବାଚନ କରାଯାଉଛି, ତା’ ବିରୋଧରେ ଆମେ ଏହିଭଳି ଭାବେ ପ୍ରତିବାଦ ଜଣାଇବୁ। ସେମାନେ ମୋତେ ବହିଷ୍କାର କରନ୍ତୁ। ମୁଁ ଚାହୁଁଛି ସେହିଦିନଟି କଳା ଦିବସ ହେଉ।ଏହା ସହିତ ବିଧାନସଭାର ପ୍ରଥମ ଦିନରେ କଳା ପୋଷାକ ପିନ୍ଧିବାକୁ ମମତା ତାଙ୍କ ଦଳର ବିଧାୟକମାନଙ୍କୁ କହିଛନ୍ତି। ମମତା କହିଛନ୍ତି ଯେ ଭୋଟ୍‌ରେ ଚଞ୍ଚକତା କରାଯାଇଛି। ଏନେଇ କୋର୍ଟକୁ ଯିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି।

ମମତା ଅଭିଯୋଗ କରିଛନ୍ତି ଯେ ମୁର୍ଶିଦାବାଦରେ ବିଜେପିର ସମର୍ଥକ ଓ କର୍ମୀମାନେ ଲେନିନଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ଆମେ କେବେ ବି ଲେନିନଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନଥିଲୁ। କିନ୍ତୁ ସେମାନେ ତାହା କରିଛନ୍ତି। ସେମାନେ ସାରା ରାଜ୍ୟରେ ତୃଣମୂଳ କଂଗ୍ରେସର ୧୫୦୦ କାର୍ଯ୍ୟାଳୟ ନଷ୍ଟ କରିଛନ୍ତି।

ଗତକାଲି ଅନୁଷ୍ଠିତ ବୈଠକରେ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ଓ ରାଜ୍ୟ ସଭାପତି ସୁବ୍ରତ ବକ୍ସି ଯୋଗ ଦେଇଥିଲେ। ନିର୍ବାଚନ ପ୍ରଚାରରେ ଭଲ କାର୍ଯ୍ୟ କରିଥିବା ଯୋଗୁ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଠିଆ ହୋଇ ଧନ୍ୟବାଦ ଜଣାଇବାକୁ ବିଧାୟକମାନଙ୍କୁ କୁହାଯାଇଥିଲା। ଅନ୍ୟପକ୍ଷରେ ଦଳର ନବନିର୍ବାଚିତ ୮୦ ବିଧାୟକଙ୍କ ମଧ୍ୟରୁ ୯ ଜଣ ଅନୁପସ୍ଥିତ ରହିଥିଲେ। ଏନେଇ ନା ନା ଚର୍ଚ୍ଚା ହେଉଛି। ସେମାନେ ଦଳର ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି। କିନ୍ତୁ ଦଳ ପକ୍ଷରୁ କୁହାଯାଇଛି ଯେ ଅନୁପସ୍ଥିତ ବିଧାୟକଙ୍କ ମଧ୍ୟରୁ କେତେକ ଯୋଗ ଦେଇପାରିବେ ନାହିଁ ବୋଲି ପୂର୍ବରୁ ଅବଗତ କରାଇଥିଲେ। ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ହିଂସାକାଣ୍ଡ ଘଟୁଥିବାରୁ ସେମାନେ ସେଠାରେ ରହିବା ଜରୁରୀ ବୋଲି କହିଥିଲେ। ସେହିପରି ବାକିମାନଙ୍କୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରହିବାକୁ ଓ ଲୋକଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Leave a Reply