ତାମିଲନାଡୁ : ତାମିଲନାଡୁରେ ସରକାର ଗଠନ କରିବାକୁ ଚାହୁଁଥିବା ଟିଭିକେ ମୁଖ୍ୟ ବିଜୟଙ୍କୁ ଶକ୍ତ ଝଟକା। ଆବଶ୍ୟକ ମ୍ୟାଜିକ ନମ୍ବର ବିଜୟଙ୍କ ପାଖରେ ନଥିବାରୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କ୍ରମାଗତ ଦ୍ୱିତୀୟ ଦିନରେ ସେ ଦେଇଥିବା ସରକାର ଗଠନ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି।ବିଜୟ ପ୍ରଥମେ ବୁଧବାର ଲୋକ ଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବା ସହ ସରକାର ଗଠନ ପାଇଁ ଦାବିପତ୍ର ଦେଇଥିଲେ। ହେଲେ ସେ ଦେଇଥିବା ଦାବି ପତ୍ରରେ(ଟିଭିକେର ୧୦୭ ଓ କଂଗ୍ରେସର ୫) ବିଧାୟକଙ୍କ ଦସ୍ତଖତ ରହିଥିଲା। ତେଣୁ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଅନୁମତି ଦେଇ ନଥିଲେ।
ଆଜି ସକାଳେ ବିଜୟ ପୁଣି ରାଜ୍ୟପାଳଙ୍କୁ ଭେଟିଛନ୍ତି। ହେଲେ ରାଜ୍ୟପାଳ ପୁଣି ତାଙ୍କ ସରକାର ଗଠନ ପ୍ରସ୍ତାବ ଉପରେ ମୋହର ମାରି ନାହାନ୍ତି। ୧୧୮ ବିଧାୟକଙ୍କ ସମର୍ଥନ ଥିବା ଦାବିପତ୍ର ଧରି ଆସିବାକୁ ରାଜ୍ୟପାଳ ରାଜେନ୍ଦ୍ର ତାଙ୍କୁ କହିଥିବା ଜଣାପଡ଼ିଛି।
ସୂତ୍ର ଅନୁସାରେ, ରାଜ୍ୟପାଳ ରାଜେନ୍ଦ୍ର ଆଜି ବିଜୟଙ୍କୁ କହିଛନ୍ତି ଯେ ଟିଭିକେ ଏବେ ବି ଆବଶ୍ୟକ ମ୍ୟାଜିକ ନମ୍ବର ଠାରୁ ଦୂରରେ ରହିଛି। ତେଣୁ ୧୧୮ ବିଧାୟକଙ୍କ ଦସ୍ତଖତ ଥିବା ଦାବିପତ୍ର ଧରି ଆସିବା ପରେ ହିଁ ଶପଥ ସମାରୋହ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଲିଖିତ ସମର୍ଥନ ଦ୍ୱାରା ସରକାର ଗଠନ ହେଲେ ଏହା ସ୍ଥିର ରହିବ ଓ ଶପଥ ପାଠ ଉତ୍ସବ ପରେ ଭୁଶୁଡ଼ିବ ନାହିଁ ବୋଲି ମଧ୍ୟ ରାଜ୍ୟପାଳ ବୈଠକ ସମୟରେ କହିଛନ୍ତି। ବିଜୟଙ୍କ ପାଖରେ ୧୧୨ ବିଧାୟକଙ୍କ ସମର୍ଥନ ଥିବା ବେଳେ ଭିସିକେ ଓ ସିପିଆଇଙ୍କ ସହ ଟିଭିକେ ଯୋଗାଯୋଗରେ ରହିଛି। ଉଭୟ ଦଳ ଡିଏମକେର ସହଯୋଗୀ। ତେଣୁ ବିଜୟଙ୍କୁ ସମର୍ଥନ କରିବା ପୂର୍ବରୁ ଉଭୟ ଦଳର ନେତା ଡିଏମକେର ବରିଷ୍ଠ ସଦସ୍ୟ ଉଦୟନିଧି ଓ କାନିମୋଝୀଙ୍କ ସହ କଥା ହୋଇଛନ୍ତି।
ସେହିପରି ଭିସିକେ ମୁଖ୍ୟ ଥୋଲ ଥିରୁମାଭାଲାବନ ଆଜି ବିଜୟଙ୍କୁ ସରକାର ଗଠନ ପାଇଁ ରାଜ୍ୟପାଳ ଅନୁମତି ଦିଅନ୍ତୁ ବୋଲି କହିବା ସହ ଟିଭିକେ ବିଧାନସଭାରେ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଖାଇବ ବୋଲି କହିଛନ୍ତି। ଥିରୁମାଭାଲାବନ ଅଭିଯୋଗ କରିଛନ୍ତି ଯେ ବିଜେପି ତାମିଲନାଡୁ ରାଜନୀତିରେ ହସ୍ତକ୍ଷେପ କରୁଛି ଓ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ବିଜୟ ହେଉଛନ୍ତି ଗୋଟିଏ ଏକକ ସର୍ବବୃହତ୍ତ ଦଳ ନେତା। ତାଙ୍କୁ ସରକାର ଗଠନ ପାଇଁ ଅନୁମତି ଦିଆଯାଉ ଓ ସେ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ। ସିପିଆଇ ବି ରାଜ୍ୟପାଳଙ୍କୁ ସମାନ ଅନୁରୋଧ କରିଛି। ଶପଥ ପାଠ ଉତ୍ସବ ପୂର୍ବରୁ ବିଜୟଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ରାଜ୍ୟପାଳ କହିବା ଠିକ ନୁହେଁ ବୋଲି ଦଳ କହିଛି।
