ପୁରୀରେ ଆଜିଠାରୁ ୩ ଦିନିଆ ‘ବ୍ରିକ୍ସ ବିପର୍ଯ୍ୟୟ ପ୍ରଶମନ ବୈଠକ’ ଆରମ୍ଭ

ଭୁବନେଶ୍ୱର : ପୁରୀରେ ଆୟୋଜିତ ହେଉଥିବା ବ୍ରିକ୍ସ (BRICS) ବିପର୍ଯ୍ୟୟ ପ୍ରଶମନ ସମ୍ମିଳନୀ ଆନ୍ତର୍ଜାତୀୟ ବୈଠକ ୩ ଜୁନ୍‌ରୁ ୫ ଜୁନ୍ ପର୍ଯ୍ୟନ୍ତ (୩ ଦିନ) ଚାଲିବ | ଓଡ଼ିଶାର ପବିତ୍ର ସହର ପୁରୀର ତାଜ୍ ପୁରୀ ରିସର୍ଟ (Taj Puri Resort) ଠାରେ ଏହା ଅନୁଷ୍ଠିତ ହେଉଛି | ଭାରତର ବ୍ରିକ୍ସ ଅଧ୍ୟକ୍ଷତା (India’s BRICS Presidency) ଅଧୀନରେ ଏହି ପ୍ରଥମ ଇନ୍-ପର୍ସନ (ସର୍ବସମ୍ମୁଖ) ବୈଷୟିକ ବୈଠକ ଅନୁଷ୍ଠିତ ହେଉଛି | ୪ ଜୁନ୍ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍‌ଘାଟନୀ ସମାରୋହରେ ଯୋଗଦେବେ |

ଏହି ସମ୍ମିଳନୀରେ ୧୧ଟି ଦେଶର ପ୍ରତିନିଧି ବ୍ରାଜିଲ, ଋଷ, ଭାରତ, ଚୀନ, ଏବଂ ଦକ୍ଷିଣ ଆଫ୍ରିକା (ମୂଳ BRICS ସଦସ୍ୟ),ସୌଦି ଆରବ, ଇଜିପ୍ଟ (Egypt), ସଂଯୁକ୍ତ ଆରବ ଏମିରେଟ୍ସ (UAE), ଇଥିଓପିଆ, ଇରାନ ଏବଂ ଇଣ୍ଡୋନେସିଆ, ନୀତି ନିର୍ଦ୍ଧାରକ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି| ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ପରସ୍ପରକୁ ସହଯୋଗ କରିବା ଏହାର ମୁଖ୍ୟ ଲକ୍ଷ୍ୟ।
  1. ଆର୍ଥିକ ସହାୟତା: ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ଥାୟୀ ପାଣ୍ଠି (Sustainable Financing) ଗଠନ କରିବା।
  2. ସୁଦୃଢ଼ ଭିତ୍ତିଭୂମି: ବାତ୍ୟା କିମ୍ବା ଭୂକମ୍ପ ଭଳି ବିପର୍ଯ୍ୟୟକୁ ସହ୍ୟ କରିପାରୁଥିବା ଭିତ୍ତିଭୂମିର ବିକାଶ।
  3. ପୂର୍ବ ସୂଚନା ପ୍ରଣାଳୀ: ପ୍ରଭାବଶାଳୀ ଏବଂ ଆଧୁନିକ ଆଗୁଆ ସୂଚନା ପ୍ରଣାଳୀ (Early Warning Systems) କୁ ଅଧିକ ମଜବୁତ କରିବା।
  4. ପାରମ୍ପରିକ ଜ୍ଞାନର ବ୍ୟବହାର: ବିପର୍ଯ୍ୟୟ ପରିଚାଳନାରେ ଆଧୁନିକ ବୈଜ୍ଞାନିକ ପଦ୍ଧତି ସହ ଆଞ୍ଚଳିକ ପାରମ୍ପରିକ ଜ୍ଞାନର ସମନ୍ୱୟ ରକ୍ଷା କରିବା।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଓଡ଼ିଶାର ବାତ୍ୟା ମୁକାବିଲା ମଡେଲ, ସଫଳ ସ୍ଥାନାନ୍ତରଣ ପ୍ରକ୍ରିୟା ଏବଂ ପ୍ରଭାବଶାଳୀ ବିପର୍ଯ୍ୟୟ ପ୍ରସ୍ତୁତିକୁ ବିଶ୍ୱସ୍ତରରେ ସ୍ୱୀକୃତି ମିଳିଛି। ସେଥିପାଇଁ ଏହି ଆନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ ପାଇଁ ଭାରତ ସରକାର ଓଡ଼ିଶାକୁ ବାଛିଛନ୍ତି, ଯାହା ଦ୍ୱାରା ଓଡ଼ିଶା ନିଜର ସଫଳତାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିପାରିବ।