କର୍ମକର୍ତ୍ତାଙ୍କୁ ନବୀନ ଦେଲେ ୫ ଗୁରୁମନ୍ତ୍ର

ଭୁବନେଶ୍ବର: ‘ଦଳକୁ ସରକାରକୁ ଆଣିବାରେ ସର୍ବାଧିକ ଯୋଗଦାନ ରଖିଥିବା ଜନତା ଜନାର୍ଦ୍ଦନ ଓ ଦଳୀୟ ପତାକା ଧରିଥିବା କର୍ମୀଙ୍କୁ ସାଥିରେ ନେଇ ଚାଲ। ସେମାନଙ୍କ ସମସ୍ୟାର ସମାଧାନ କର ଓ ସମଭାଗୀ ହୁଅ। ଜନତାଙ୍କ ଆସ୍ଥାଭାଜନ ହେବା ପାଇଁ ଉଭୟ ସରକାର ଓ ଦଳ କାର୍ଯ୍ୟ କରିବା ଉଚିତ। କାରଣ କ୍ଷମତାକୁ ଆସିବାଠାରୁ ଶାସନରେ ରହିବା ଅଧିକ ଆହ୍ବାନପୂର୍ଣ୍ଣ। ଏଥିପାଇଁ ଜନତା ଓ କର୍ମୀଙ୍କ ସହ ଉତ୍ତମ ସମନ୍ବୟ ଓ ସମ୍ପର୍କ ରଖି ଜନକଲ୍ୟାଣ କାର୍ଯ୍ୟ କରିବାକୁ ପଡ଼ିବ।’’ ସୋମବାର ବିଜେପି ନେତା ଓ କର୍ମକର୍ତ୍ତାଙ୍କୁ ଉପରୋକ୍ତ ଗୁରୁମନ୍ତ୍ର ଦେଇଛନ୍ତି ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶ ହିତ ପାଇଁ ସମର୍ପିତ ଭାବେ କାମ କରୁଛନ୍ତି। ଅନେକ ଆହ୍ବାନ ସତ୍ତ୍ବେ ଆମ ଦେଶ ଅନେକ କ୍ଷେତ୍ରରେ ସୁନାମ ଅର୍ଜନ କରୁଛି। କିନ୍ତୁ ଦେଶକୁ ସବୁମତେ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଆଭିମୁଖ୍ୟ ରଖିଛନ୍ତି ତାକୁ ନେଇ କାମ କରିବାକୁ ହେବ। ପାର୍ଟିର
ତୃଣମୂଳସ୍ତରର କର୍ମୀଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପଡ଼ିବ। ସରକାର ଓ ପାର୍ଟି ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି କରିବାକୁ ହେବ। ଶୃଙ୍ଖଳାର ସହ ସବୁ ଆହ୍ବାନକୁ ପ୍ରତିହତ କରିବା। ଓଡ଼ିଶାର ପ୍ରତିଟି କୋଣରେ ବିଜେପିର ବିକାଶଶୀଳ ଚିନ୍ତନ ପହଞ୍ଚାଇବାକୁ ହେବ। ଦୁଇଦିନିଆ ଓଡ଼ିଶା ଗସ୍ତ ଅବସରରେ ମନ୍ତ୍ରିମଣ୍ଡଳ ସଦସ୍ୟ, ବିଧାୟକ, ସାଂସଦ, ଛାମୁଆ ସଂଗଠନ ନେତା, ରାଜ୍ୟ ନେତୃବୃନ୍ଦଙ୍କୁ ଏହି ଆହ୍ବାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ। କେନ୍ଦ୍ର ବିଜେପିର ମୁଖିଆ ପଦ ଭାର ଗ୍ରହଣ ପରେ ପ୍ରଥମଥର ଓଡ଼ିଶା ଆସିଥିବା ଶ୍ରୀ ନିତିନ ରାଜ୍ୟ କାର୍ଯ୍ୟାଳୟରେ ଘନ ଘନ ବୈଠକ କରି ଦଳକୁ ସୁଦୃଢ଼ କରିବା ସହ ଡବଲ ଇଞ୍ଜିନ ସରକାରଙ୍କୁ ଲୋକଙ୍କ ନିକଟତର କରାଇବାରେ ସାମାନ୍ୟତମ ଅବହେଳା ନକରିବା ଲାଗି ଉପଦେଶ ଦେଇଛନ୍ତି। କ୍ଷମତାକୁ ଆସିବା ଯେତିକି କଷ୍ଟଦାୟକ, ତା ଠାରୁ ଅଧିକ ସଂଘର୍ଷମୟ ହେଉଛି କ୍ଷମତାରେ ତିଷ୍ଠି ରହିବା। ଏହାର ଏକମାତ୍ର ଉପାୟ, ତାହା ହେଉଛି ଲୋକଙ୍କ ପାଇଁ ସମର୍ପିତ ଭାବେ କାମ କରିବା ବୋଲି ରାଷ୍ଟ୍ରୀୟ ସଭାପତି କହିଛନ୍ତି।

ଆଜି ମଧ୍ୟାହ୍ନରେ ଶ୍ରୀ ନବୀନ ପୁରୀ ଯାଇଥିଲେ। ଏହା ପୂର୍ବରୁ ଜଟଣୀରେ କର୍ମୀ ସମ୍ମିଳନୀ ଏବଂ ପରେ ରାଜ୍ୟ କାର୍ଯ୍ୟାଳୟରେ ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନସ୍ତରର ନେତାମାନଙ୍କୁ ଭେଟି ଦଳ ଓ ଡବଲ ଇଞ୍ଜିନ ସରକାରର ସଫଳତା ହାର ବୃଦ୍ଧି ପାଇଁ ରଣନୀତି ପ୍ରସ୍ତୁତ କରିବା ଲାଗି କହିଛନ୍ତି। ଦୁଇ ମାସ ପରେ ସେହି ଲକ୍ଷ୍ୟ ପୂରଣରେ କେତେ ଅଗ୍ରଗତି ହୋଇଛି ତାହାର ସେ ସମୀକ୍ଷା କରିବେ ବୋଲି କହିଛନ୍ତି। ଆଜି ଚାରିରୁ ଅଧିକ ବୈଠକ ବସିଥିଲା। କିନ୍ତୁ ସେଥିରୁ ଗୁରୁତ୍ବପୂର୍ଣ୍ଣ ଥିଲା ସକାଳେ କୋର୍ କମିଟି ଏବଂ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଦସ୍ୟ, କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା। ଏହି ସମୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ନିଗମ ବଣ୍ଟା, ସାଂଗଠନିକ ପୁନର୍ଗଠନ କାର୍ଯ୍ୟ, ସରକାରଙ୍କ କାର୍ଯ୍ୟକ୍ରମ ଆଦି ଉପରେ ଆଲୋଚନା ହୋଇଥିଲା। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦୁଇ ବର୍ଷ ପୂରଣ କରିଛି। ଏହା ମଧ୍ୟରେ ଦଳ ଓ ସରକାର ଦେଖିଥିବା ପ୍ରତିକୂଳ ପରିସ୍ଥିତିରୁ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି। ନିର୍ବାଚନ ସମୟରେ ପାର୍ଟି ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି ଆଉ ଯାହା ବାକି ରହିଛି ତାହା କିପରି ପୂରଣ ହେବ ତାହାର ତର୍ଜମା କରିଥିଲେ ସଭାପତି। ସରକାରଙ୍କ ଯୋଜନା ପ୍ରକୃତରେ ଲୋକଙ୍କ ପାଖରେ ପହଞ୍ଚୁଛି ନାହିଁ ତାହା ଅନୁଧ୍ୟାନ କରିବା ଜରୁରୀ। ଯେଉଁଠି ତ୍ରୁଟି ବିଚ୍ୟୁତି ରହିଛି ସେଠାରେ ତୁରନ୍ତ ପ୍ରତିକାର କରିବା ପାଇଁ କହିଛନ୍ତି। ଦଳର ବିଧାୟକ, ସାଂସଦ ଏବଂ ମନ୍ତ୍ରୀମାନେ ଦକ୍ଷତା ବୃଦ୍ଧି କରି ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବା ଲାଗି ପରାମର୍ଶ ଦେଇଛନ୍ତି। ଦଳର ପତାକା ବାନ୍ଧୁଥିବା ସାଧାରଣ କର୍ମୀଙ୍କ ସହ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ନିବିଡ଼ ସମ୍ପର୍କ ରଖିବା ଆବଶ୍ୟକ।

ଯୁବ ବର୍ଗଙ୍କ ନିକଟତର ହେବା ଲାଗି ଦଳକୁ ଅଧିକ ପରିଶ୍ରମ କରିବାକୁ ହେବ। ସବୁବର୍ଗଙ୍କୁ ସାଥିରେ ନେଇ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଦଳ ଓ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପ୍ରତ୍ୟେକ ଘରେ ପହଞ୍ଚାଇବା ଲକ୍ଷ୍ୟରେ ସମସ୍ତ ନେତା ଓ କର୍ମୀ କାମ କରିବା ଜରୁରୀ। ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଉଭୟ ସରକାର ଓ ପାର୍ଟି କାର୍ଯ୍ୟ କରିବା ଉଚିତ। ନେତା ଓ କର୍ମୀ ସବୁବେଳେ ଲୋକଙ୍କ ସହ ରୁହନ୍ତୁ, ସେମାନଙ୍କ ସମସ୍ୟାରେ ସମଭାଗୀ ହୁଅନ୍ତୁ, ତେବେ ଯାଇ ଆମେ ସମସ୍ତଙ୍କ ପାଖରେ ଗ୍ରହଣୀୟ ହୋଇପାରିବା। ଓଡ଼ିଶାର ପ୍ରତି ପଞ୍ଚୟତ ଓ ୱାର୍ଡରେ ଭାରତୀୟ ଜନତା ପାର୍ଟିର ସଂଗଠନ ସୁଦୃଢ଼ କରିବାରେ ଆମେ ଅବହେଳା କରିବା ନାହିଁ ବୋଲି ଶ୍ରୀ ନୀତିନ ସମସ୍ତଙ୍କୁ କହିଛନ୍ତି। ଆଜିର ଏକାଧିକ‌ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋନହ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମର, ସହ ପ୍ରଭାରୀ ଲତା ଉସେଣ୍ଡି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପରେ ଶ୍ରୀ ନିତିନ ନବୀନ ଦିଲ୍ଲୀ ଫେରିଯାଇଥିଲେ।