ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ, ଜୁନ୍ ୧୮ରେ ହେବ ମତଦାନ

ଭୁବନେଶ୍ୱର : ଓଡ଼ିଶାରୁ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଭାରତ ନିର୍ବାଚନ ଆୟୋଗ (ECI) ଏବଂ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି
ବିଜୁ ଜନତା ଦଳ (BJD) ର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଗତ ମେ ୨୫, ୨୦୨ରେ ରାଜ୍ୟସଭା ସାଂସଦ ପଦରୁ ଏବଂ ଦଳରୁ ଇସ୍ତଫା ଦେଇଥିଲେ ।  ତାଙ୍କର ଇସ୍ତଫା ପରେ ସେହି ଗୋଟିଏ ଆସନଟି ଫାଙ୍କା ପଡ଼ିଥିଲା। ସୂଚନାଯୋଗ୍ୟ ଯେ, ସେ ୨୦୨୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ଆସନର କାର୍ଯ୍ୟକାଳ ୩ ଏପ୍ରିଲ ୨୦୩୦ ପର୍ଯ୍ୟନ୍ତ ଥିଲା । ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବା ପରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।
ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ତାରିଖ ଗୁଡ଼ିକ ହେଲା:
      • ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ: ଜୁନ୍ ୧, ୨୦୨୬
      • ନାମାଙ୍କନ ପତ୍ର (Nomination) ଦାଖଲର ଶେଷ ତାରିଖ: ଜୁନ୍ ୮
    • ପ୍ରାର୍ଥୀପତ୍ର ଯାଞ୍ଚ (Scrutiny): ଜୁନ୍ ୯ 
    • ପ୍ରାର୍ଥୀପତ୍ର ପ୍ରତ୍ୟାହାରର (Withdrawal) ଶେଷ ଦିନ: ଜୁନ୍ ୧୧
    • ମତଦାନ ତାରିଖ (Voting Date): ଜୁନ୍ ୧୮ (ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ)
    • ଭୋଟ୍ ଗଣତି ଓ ଫଳାଫଳ: ଜୁନ୍ ୧୮, ୨୦୨୬ (ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ)

    • ଉପ-ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର (Returning Officer) ଭାବେ ଓଡ଼ିଶା ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ଦାୟିତ୍ୱ ଦିଆଯାଇଛି 
    • ସେହିପରି ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି 

ଓଡ଼ିଶା ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଆଧାରରେ ଭାଜପା (BJP) ର ପଲା ଭାରି ରହିଛି। ରାଜନୈତିକ ସମୀକ୍ଷକଙ୍କ ଅନୁମାନ ଅନୁଯାୟୀ, ବିଜେପିରେ ସାମିଲ ହୋଇଥିବା ଦେବାଶିଷ ସାମନ୍ତରାୟଙ୍କୁ ହିଁ ଦଳ ପୁଣିଥରେ ଏହି ଆସନରୁ ପ୍ରାର୍ଥୀ କରି ରାଜ୍ୟସଭାକୁ ପଠାଇପାରେ। ଯଦି କେବଳ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି, ତେବେ ଜୁନ୍ ୧୧ ତାରିଖ (ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ) ରେ ହିଁ ସେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ଘୋଷିତ ହେବେ ଏବଂ ଜୁନ୍ ୧୮ରେ ଭୋଟ୍ ଗ୍ରହଣର ଆବଶ୍ୟକତା ପଡ଼ିବ ନାହିଁ।