ମସ୍କୋରେ ରବିବାର ଏକ ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ

ରୁଷ : ରୁଷର ମସ୍କୋ ଅଞ୍ଚଳରେ ରବିବାର ଏକ ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ତିନି ଜଣ ଆହତ ହୋଇଛନ୍ତି। ରୁଷରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୂତାବାସ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ଅଧିକାରୀମାନେ ଆକ୍ରମଣ ସ୍ଥଳ ପରିଦର୍ଶନ କରିବା ସହ ଡାକ୍ତରଖାନାରେ ଆହତ ଶ୍ରମିକମାନଙ୍କୁ ଭେଟିଛନ୍ତି।

ମୃତାହତମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। ଏହି ଡ୍ରୋନ୍ ଆକ୍ରମଣ ସମ୍ପର୍କରେ ଦୂତାବାସ ପକ୍ଷରୁ ଅଧିକ ବିବରଣୀ ଦିଆଯାଇନାହିଁ।

ଏହି ଆକ୍ରମଣ ଯୋଗୁଁ କେତେକ ଅଞ୍ଚଳରେ ଆବାସିକ ଗୃହ ଏବଂ ଭିତ୍ତିଭୂମିର କ୍ଷତି ହୋଇଛି। କର୍ତ୍ତୃପକ୍ଷ କହିଛନ୍ତି ଯେ, ଏହି ଆକ୍ରମଣରେ ଅତିକମରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ମସ୍କୋ ଅଞ୍ଚଳର ତିନି ଜଣ ସାମିଲ ଅଛନ୍ତି। ୟୁକ୍ରେନ ସୀମାକୁ ଲାଗି ରହିଥିବା ରୁଷର ବେଲଗୋରୋଡ୍ ଅଞ୍ଚଳରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଉଭୟ ରୁଷ ଏବଂ ୟୁକ୍ରେନ ପରସ୍ପରର ସାଧାରଣ ନାଗରିକମାନଙ୍କୁ ଜାଣିଶୁଣି ଆକ୍ରମଣ କରୁଥିବା କଥାକୁ ବାରମ୍ବାର ଅସ୍ୱୀକାର କରିଆସିଛନ୍ତି। ତେବେ ଏହି ସଂଘର୍ଷ ମଧ୍ୟରେ ଉଭୟ ଦେଶରେ ଥିବା ଆବାସିକ ସ୍ଥଳ ଏବଂ ସାଧାରଣ ନାଗରିକଙ୍କ ଭିତ୍ତିଭୂମିଗୁଡ଼ିକ ଲଗାତାର ଭାବେ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି।