ଜୀବନ ନେଲାଣି ମିଳିମିଳା, ଚିନ୍ତାରେ ସରକାର

ବାଂଲାଦେଶ, ୦୧ (ପ୍ରତିଶବ୍ଦ ) : ଟିକାକରଣରେ ଚାମ୍ପିୟନ ବାଂଲାଦେଶ ଏବେ ମିଳିମିଳାର ଘାତକ ଲହରୀର ସାମ୍ନା କରୁଛି। ଏଥିଯୋଗୁ ଦେଶରେ ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ ଗଲାଣି। ମିଳିମିଳା ଯୋଗୁ ମାର୍ଚ୍ଚ ୧୫ରୁ ଇତି ମଧ୍ୟରେ ୨୫୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତି। ସମସ୍ତେ ମିଳିମିଳା ଜନିତ ଲକ୍ଷଣ ଯୋଗୁ ଆଖି ବୁଜିଛନ୍ତି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମାର୍ଚ୍ଚ ୧୫ରୁ ଇତି ମଧ୍ୟରେ ୪୩ ଜଣ ମିଳିମିଳା ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୨୧୬ ଜଣ ସନ୍ଦିଗ୍ଧ ମିଳିମିଳା ଯୋଗୁ ଆଖି ବୁଜିଛନ୍ତି। ପ୍ରାୟ ୯୧% ମିଳିମିଳା ମାମଲା ୧ ବର୍ଷରୁ ୧୪ ବର୍ଷ ବୟସ ମଧ୍ୟରେ ଥିବା ପିଲାଙ୍କ କ୍ଷେତ୍ରରେ ଦେଖା ଯାଉଛି।

ବାଂଲାଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସର୍ଦାର ସଖାୱତ ହୁସେନ ଦେଶରେ ମିଳିମିଳା ବ୍ୟାପିବା ପାଇଁ ଉଭୟ ୟୁନୁସ ଓ ଶେଖ ହସିନା ସରକାରଙ୍କୁ ଦାୟୀ କରିଛନ୍ତି। ଶେଷଥର ପାଇଁ ୮ ବର୍ଷ ତଳେ ମିଳିମିଳା ଟିକା ଲୋକଙ୍କୁ ଦିଆଯାଇଥିଲା ବୋଲି ସେ କହିଛନ୍ତି।

ହୁସେନ କହିଛନ୍ତି, “ପୂର୍ବ ସରକାରମାନଙ୍କ ଅପରାଗତା ପାଇଁ ଏପରି ସ୍ଥିତି ଘଟିଛି। ବିଶେଷ କରି ଫାଶୀ ବାଦୀ ସରକାର ଓ ନିକଟରେ ରହିଥିବା ଅନ୍ତରୀଣ ସରକାର ଏଥିପାଇଁ ଦାୟୀ। ସେମାନଙ୍କ ଦୁର୍ବଳ ନିଷ୍ପତ୍ତି ଯୋଗୁ ଟିକାର ଷ୍ଟକରେ ଅଭାବ ଦେଖାଯାଇଛି। ଏଥିଯୋଗୁ ମିଳିମିଳା ଓ ଅନ୍ୟ ୬ଟି ରୋଗର ଟିକାକରଣ ହୋଇପାରିନି।”

ବାଂଲାଦେଶ ପ୍ରତି ୪ ବର୍ଷରେ ଥରେ ମିଳିମିଳା ବିରୋଧରେ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଆୟୋଜନ କରିଥାଏ। ଶେଷ ଥର ୨୦୨୦ରେ ଏହା ହୋଇଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗର ଉପ ନିର୍ଦ୍ଦେଶକ ଶାହରିଆର ସାଜଦ ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଯେ କରୋନା ମହାମାରୀ ଓ ରାଜନୀତିକ ସ୍ଥିତି ଯୋଗୁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ପ୍ରଭାବିତ ହୋଇଛି।

Leave a Reply