ଇସ୍ତଫା ଦେବି ନାହିଁ,ରାଜ୍ୟପାଳ ବହିଷ୍କାର କରନ୍ତୁ : ମମତା

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହାରିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ଜିଦରେ ଅଟଳ ରହିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ମମତା ଯେଉଁ କଥା କହିଥିଲେ ଆଜି ନବ ନିର୍ବାଚିତ ଟିଏମସି ବିଧାୟକଙ୍କ ସହ ବୈଠକରେ ସମାନ କଥା ଦୋହରାଇଛନ୍ତି। ସେ ନିଜ ଆଡ଼କୁ ଆଦୌ ଇସ୍ତଫା ଦେବେ ନାହିଁ ଓ ତାଙ୍କୁ ରାଜ୍ୟପାଳ ବହିଷ୍କାର କରନ୍ତୁ ବୋଲି ମମତା ସଫାସଫା ଶୁଣାଇ ଦେଇଛନ୍ତି। ଏଥିସହ ବିଜେପି ନିର୍ବାଚନକୁ ହେରଫେର କରି ଜିତିଛି ଓ ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯିବାକୁ ବିଚାର କରୁଥିବା ସଙ୍କେତ ଦେଇଛନ୍ତି। ନିଜେ ମମତା ସୁପ୍ରିମକୋର୍ଟରେ ନିଜ ମାମଲା ପରିଚାଳନା କରିବେ ବୋଲି ମଧ୍ୟ କହିଛନ୍ତି।

ଆଇନଗତ ଲଢ଼େଇ ବା ଓକିଲାତି କରିବାର ସଙ୍କେତ ଦେଇ ମମତା ଘୋଷଣା କରିଛନ୍ତି ସେ, ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓ ଅନ୍ୟ ସହକର୍ମୀମାନେ ଆଇନଗତ ଅଭ୍ୟାସ ଆରମ୍ଭ କରିବେ ଓ କୋର୍ଟରେ ସେମାନଙ୍କ ଲଢ଼େଇ ନିଜେ ଲଢ଼ିବେ।ବେଙ୍ଗଲରେ ପରାଜୟର ସାମ୍ନା କରିଥିଲେ ହେଁ ଦଳର ମୁଖ୍ୟ ଟାର୍ଗେଟ ଦିଲ୍ଲୀ ଓ ବିରୋଧୀ ମେଣ୍ଟ ଇଣ୍ଡିଆ ସହ ମିଶି ସେ ବିଜେପି ବିରୋଧରେ ଅଭିଯାନ ଜାରି ରଖିବେ ବୋଲି ବି କହିଛନ୍ତି।

ନବ ନିର୍ବାଚିତ ବିଧାୟକମାନଙ୍କୁ ସେ କହିଛନ୍ତି ଯେ “ମୁଁ ଇସ୍ତଫା ଦେବି ନାହିଁ। ସେମାନେ ମୋତେ ବହିଷ୍କାର କରନ୍ତୁ। ମୁଁ ଏହା କଳା ଦିବସ ହେଉ ବୋଲି ଚାହୁଁଛି। ଆମକୁ ସଶକ୍ତ ହେବାକୁ ପଡ଼ିବ। ବିଧାନସଭାର ପ୍ରଥମ ଦିନରେ ସମସ୍ତେ କଳା ପୋଷାକ ପିନ୍ଧିବେ। ଯେଉଁମାନେ ଦଳର ଧୋକା କରିଛନ୍ତି ବା କରିବେ, ସେମାନଙ୍କୁ ଦଳରୁ ବହିଷ୍କାର କରାଯିବ। ମୁଁ ହସୁଛି। ମୁଁ ସେମାନଙ୍କୁ ନୈତିକ ଭାବେ ହରାଇ ଦେଇଛି। ମୁଁ ଗୋଟିଏ ମୁକ୍ତ ପକ୍ଷୀ। ମୁଁ ସମସ୍ତଙ୍କ ପାଇଁ କାମ କରିଥିଲି। ଆମେ ସମ୍ଭବତଃ ହାରି ଯାଇଛୁ। କିନ୍ତୁ ଆମେ ଲଢ଼େଇ କରିବା। ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଖୋଦ ଏହି ନାଟକରେ ସାମିଲ ରହିଛନ୍ତି।”

Leave a Reply