ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ଗାୟବ

ଭୁବନେଶ୍ୱର : ପୂର୍ବ ସରକାର ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ଗାୟବ ହେବାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ଏହି ଘଟଣାର ସରକାରୀ ସ୍ତରରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ୨ଟି ବହୁ ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ତଦନ୍ତ କମିଶନ ରିପୋର୍ଟ ଗାୟବ ହୋଇଯାଇଥିବା ନେଇ ବର୍ତ୍ତମାନର ବିଜେପି ସରକାର ଅଭିଯୋଗ କରିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଗଣମାଧ୍ୟମ ସାକ୍ଷାତକାରରେ ପ୍ରଥମେ ଏହି ବିସ୍ଫୋରକ ସୂଚନା ଦେଇଥିଲେ । ସେ କହିଥିଲେ ଯେ ବିଜେଡି ଶାସନ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ଉଗଙ)ରୁ ୨ଟି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ନିଖୋଜ ହୋଇଯାଇଛି ।

ଏହି ରିପୋର୍ଟଗୁଡ଼ିକୁ ବିଧାନସଭା ଗୃହରେ ଉପସ୍ଥାପନ କରିବା ପାଇଁ ଯେତେବେଳେ ଗୃହ ବିଭାଗ, ଆଇନ ବିଭାଗ ଏବଂ ସିଏମ୍ଓସ୍ତରରେ ଫାଇଲ୍ ଖୋଜା ଚାଲିଥିଲା, ସେତେବେଳେ ଏହା ମିଳିନଥିବା କନକ ନ୍ୟୁଜ୍ ରିପୋର୍ଟରୁ ସୂଚନା ମିଳିଛି ।ଏହି ପ୍ରସଙ୍ଗରେ ଖୋର୍ଦ୍ଧାରେ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶ୍ନ କରିବାରୁ ସେ ସ୍ପଷ୍ଟ କରିଛନ୍ତି ଯେ— “ଯଦି ଏହି ବିଷୟରେ କୌଣସି ଆନୁଷ୍ଠାନିକ ଅଭିଯୋଗ ମିଳେ, ତେବେ ସରକାର ନିଶ୍ଚିତ ଭାବେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବେ ଏବଂ ସତ୍ୟ ସାମ୍ନାକୁ ଆଣିବେ” ।

ଆଇନ ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ଏଥିରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେଉଁ ରିପୋର୍ଟ ଗାୟବ ହୋଇଥିବା ଅନୁମାନ କରାଯାଉଛି? ଯଦିଓ ସରକାରଙ୍କ ପକ୍ଷରୁ କେଉଁ କମିଶନର ରିପୋର୍ଟ ହଜିଛି ତାହା ସ୍ପଷ୍ଟ କରାଯାଇ ନାହିଁ, ତଥାପି ବିଶେଷ ସୂତ୍ର ଅନୁସାରେ ଏହା ମଧ୍ୟରୁ ଗୋଟିଏ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ମାମଲାର କମିଶନ ରିପୋର୍ଟ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବିଜେଡି ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ସାହୁ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି:ତଥ୍ୟ ସାମ୍ନାକୁ ଆଣନ୍ତୁ: ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ ଯେ କେଉଁ କମିଶନର ରିପୋର୍ଟ ଗାୟବ ହୋଇଛି ଏବଂ କେଉଁ ସ୍ତରରେ ଫାଇଲ୍ ନଷ୍ଟ ହୋଇଛି । ଯଦି ରାଜ୍ୟର ସବୁଠାରୁ ସୁରକ୍ଷିତ ପ୍ରଶାସନିକ ଭବନ (ସିଏମ୍ଓ)ରୁ ଫାଇଲ୍ ଚୋରି ବା ଗାୟବ ହେଉଛି, ତେବେ ରାଜ୍ୟରେ ସାଧାରଣ ଜନତାଙ୍କ ନଥିପତ୍ରର ସୁରକ୍ଷା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିଜେଡିର କହିବା କଥା ଯଦି ଫାଇଲ୍ ଗାୟବ ହୋଇଛି, ତେବେ ତାହା ବର୍ତ୍ତମାନର ବିଜେପି ସରକାର ସମୟରେ ହିଁ ହୋଇଥାଇପାରେ ।ଏହି ବିଷୟରେ ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବ କହିଛନ୍ତି ଯେ, ପୂର୍ବ ସରକାର କେତେକ ବଡ଼ ପ୍ରସଙ୍ଗକୁ ଲୁଚାଇବା ପାଇଁ ଏପରି କରିଥାଇପାରନ୍ତି ଏବଂ ତଦନ୍ତ ହେଲେ ସବୁ ସତ୍ୟ ପ୍ରକାଶ ପାଇବ ।