ଜୁନ୍ ୧୦ରେ ବିଜେଡିର ଜରୁରୀକାଳୀନ ବୈଠକ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଗତକାଲି (୭ ଜୁନ୍) ଓଡ଼ିଶା ଫେରିବା ପରେ ଏହି ହଠାତ୍ ହାଇ-ଲେଭଲ୍ ବୈଠକ ଡାକିଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି । ଆସନ୍ତା ଜୁନ୍ ୧୦ ତାରିଖ (ବୁଧବାର), ଅପରାହ୍ନ ୪ଟା ସମୟରେ । ଭୁବନେଶ୍ୱରସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଡକାଯାଇଛି ଏହି ବୈଠକ ।

ବିପର୍ଯ୍ୟୟ ପରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ କିପରି ସୁଦୃଢ଼ କରାଯାଇପାରିବ, ସେ ନେଇ ନବୀନ ପଟ୍ଟନାୟକ ନେତାମାନଙ୍କୁ ଗୁରୁମନ୍ତ୍ର ଦେବେ । ବିଜେପି ସରକାରକୁ ବିଧାନସଭା ଭିତରେ ଏବଂ ବାହାରେ ଘେରିବା ପାଇଁ ଏକ ଶକ୍ତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ନିର୍ବାଚନରେ କେଉଁ କାରଣରୁ ଦଳ ପ୍ରଭାବିତ ହେଲା ଏବଂ କେଉଁଠି ଦଳୀୟ ଭୋଟ୍ କମିଲା, ତାର ଗ୍ରାଉଣ୍ଡ ରିପୋର୍ଟ ସମୀକ୍ଷା ହେବ ।

ନିକଟରେ ଚାଲିଥିବା ଦିଲ୍ଲୀ ଗସ୍ତର ଅଙ୍ଗେଲିଭା ଅନୁଭୂତି ଏବଂ ଜାତୀୟ ସ୍ତରରେ ‘ଇଣ୍ଡିଆ ମେଣ୍ଟ’ ଠାରୁ ସମଦୂରତା ରକ୍ଷା କରିବା ପ୍ରସଙ୍ଗରେ ସମସ୍ତ ନେତାଙ୍କୁ ଅବଗତ କରାଯିବ ।ଏହି ବୈଠକରେ ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ଏବଂ ବିଧାନସଭା ପ୍ରାର୍ଥୀମାନେ ଯୋଗଦେବେ । ନବୀନ ପଟ୍ଟନାୟକଙ୍କ ଏହି ବୈଠକ ଦଳରେ ଏକ ବଡ଼ ଧରଣର ଅଦଳବଦଳ ଏବଂ ନୂଆ ପଦାଧିକାରୀ ନିଯୁକ୍ତିର ସଙ୍କେତ ଦେଉଥିବା ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି ।

ଜାତୀୟ ରାଜନୀତିରେ ମେଣ୍ଟକୁ ନେଇ ଚାଲିଥିବା ବିଭିନ୍ନ ଚର୍ଚ୍ଚା ମଧ୍ୟରେ ବିଜୁ ଜନତା ଦଳ (ବିଜେଡି) ନିଜର ଆଭିମୁଖ୍ୟ ପୁଣିଥରେ ସ୍ପଷ୍ଟ କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡି କୌଣସି ବି ଜାତୀୟ ମେଣ୍ଟରେ ସାମିଲ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ନିକଟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବା ସମୟରେ, ବିଜେଡି ଆଗାମୀ ଦିନରେ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ ମେଣ୍ଟ’ ବୈଠକରେ ସାମିଲ ହୋଇପାରେ ବୋଲି ଜାତୀୟ ଓ ସ୍ଥାନୀୟ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେଉଥିଲା ।

ବିଶେଷ କରି ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ, ବିଜେଡି କେନ୍ଦ୍ର ବିରୋଧୀ ମେଣ୍ଟକୁ ସମର୍ଥନ କରିବ ବୋଲି ଅନୁମାନ କରାଯାଉଥିଲା । ଦଳର ସ୍ପଷ୍ଟୀକରଣ ଓ ‘ସମଦୂରତା’ ନୀତିଏହି ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରି ବିଜେଡି ନେତୃତ୍ୱ ସ୍ପଷ୍ଟ କରିଛି ଯେ କାହା ସହ ମେଣ୍ଟ ନାହିଁ । ଦଳ ନା ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସହ ଯିବ, ନା କଂଗ୍ରେସ ନେତୃତ୍ୱାଧୀନ ଓଘଊଓଇ ମେଣ୍ଟ ସହ ହାତ ମିଳାଇବ । ବିଜେଡି ଉଭୟ ମେଣ୍ଟ ଠାରୁ ‘ସମଦୂରତା’ ବଜାୟ ରଖିବ ।

ବିଜେଡି ଏକ ଆଞ୍ଚଳିକ ଦଳ । କୌଣସି ଜାତୀୟ ମେଣ୍ଟର ଚାପରେ ନରହି ଦଳ କେବଳ ଓଡ଼ିଶାର ହକ, ବିକାଶ ଏବଂ ସ୍ୱାର୍ଥ ରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ଲଢ଼େଇ ଜାରି ରଖିବ । ପୂର୍ବଭଳି, ସଂସଦରେ ଜାତୀୟ ସ୍ୱାର୍ଥ ଏବଂ ଓଡ଼ିଶାର ଲାଭକୁ ଦୃଷ୍ଟିରେ ରଖି ବିଭିନ୍ନ ବିଲ୍ ବା ପ୍ରସଙ୍ଗ ଉପରେ ଦଳ ‘ଇସ୍ୟୁ ଭିତ୍ତିକ’ ସମର୍ଥନ ବା ବିରୋଧ କରିବାର ନିଷ୍ପତ୍ତି ନିଜେ ନେବ ।

ଜୁନ୍ ୧୦ ତାରିଖରେ ହେବାକୁ ଥିବା ବିଜେଡିର ଜରୁରୀକାଳୀନ ବୈଠକରେ ଏହି ଜାତୀୟ ରାଜନୈତିକ ଆଭିମୁଖ୍ୟ ଉପରେ ସମସ୍ତ ବିଧାୟକ, ସାଂସଦ ଏବଂ ବରିଷ୍ଠ ନେତାମାନଙ୍କୁ ସବିଶେଷ ସୂଚନା ଦିଆଯିବ । ଦଳ କୌଣସି ପରିସ୍ଥିତିରେ ବି ନିଜର ସ୍ୱତନ୍ତ୍ର ପରିଚୟ ହରାଇବ ନାହିଁ ଏବଂ ଏକ ଶକ୍ତ ବିରୋଧୀ ଦଳ ଭାବେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନିଆଯାଇଛି ।