ରାଜ୍ୟସଭା ନିର୍ବାଚନବେଳେ ବିଜେପିର ଦୁଇଜଣ ବିଧାୟକଙ୍କୁ ‘ଦ୍ୱିତୀୟ ବାଲାଟ ପେପର’ ପ୍ରଦାନ କରାଯିବାକୁ ନେଇ ଯେଉଁ ସଙ୍ଗୀନ ଅଭିଯୋଗ ବିଜେଡି ଆଣିଥିଲା, ତାହାର ଶୁଣାଣି ଚଳିତମାସ ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହେବ। ରାଜ୍ୟସଭା ନିର୍ବାଚନରେ ବିଜେଡିର ଅନିୟମିତତା ଅଭିଯୋଗର ଶୁଣାଣି କରିବେ ନିର୍ବାଚନ ଆୟୋଗ। ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ଆସନ୍ତା ୧୧ତାରିଖରେ ନିଜର ପକ୍ଷ ଓ ତଥ୍ୟପ୍ରମାଣ ଉପସ୍ଥାପନ କରିବାକୁ ବିଜେଡିକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସମୟ ଦେଇଛନ୍ତି।
ସୂଚନା ଅନୁସାରେ, ସାଂସଦ ସସ୍ମିତ ପାତ୍ର ଏପ୍ରିଲ ୨୮ତାରିଖରେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କୁ ଭେଟି ରାଜ୍ୟସଭା ନିର୍ବାଚନରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ଲିଖିତ ଦାବି ଜଣାଇଥିଲେ। ଏହାପରେ ନିର୍ବାଚନ ଆୟୋଗଙ୍କ ଅଧିକାରୀ ଏହି ମାମଲାକୁ ପ୍ରାଥମିକତା ଭିତ୍ତିରେ ଶୁଣାଣି କରିବା ନିମନ୍ତେ ରାଜ୍ୟ ସିଇଓଙ୍କୁ ପରାମର୍ଶ ଦେଇଛନ୍ତି। ଯୁଗ୍ମ ସିଇଓ ଶ୍ରୀ କୁଅଁର ବିଜେଡିକୁ ଚିଠି ଲେଖି ୧୧ତାରିଖରେ ଦିନ ୧୧ଟାବେଳେ ଉପସ୍ଥିତ ରହି ପକ୍ଷ ଓ ତଥ୍ୟ ଉପସ୍ଥାପନ ପାଇଁ କହିଛନ୍ତି।ନ୍ୟପକ୍ଷରେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମେ’ ୧୧ତାରିଖ ବୈଠକ ପାଇଁ ବିଜେଡି ପକ୍ଷରୁ ୫ଜଣିଆ ପ୍ରତିନିଧି ଦଳ ଗଠନ ହୋଇଛି।
ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ଅରୁଣ ସାହୁ, ପ୍ରତାପ କେଶରୀ ଦେବ ଓ ସସ୍ମିତ ପାତ୍ର ଏହି ବୈଠକରେ ସାମିଲ ହେବେ। ରାଜ୍ୟସଭା ନିର୍ବାଚନବେଳେ ଦିଆଯାଇଥିବା ଦ୍ୱିତୀୟ ବାଲାଟ୍ ସଂକ୍ରାନ୍ତୀୟ ଭିଡିଓ ଫୁଟେଜ୍ ଓ ଲିଖିତ ପ୍ରମାଣ ଦଳ ପକ୍ଷରୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନବେଳେ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଉପାସନା ମହାପାତ୍ରଙ୍କୁ ଦ୍ୱିତୀୟଥର ବାଲାଟ ପେପର ପ୍ରଦାନ କରାଯାଇଥିଲା। ଯାହା ଉପରେ ବିଜେଡି ପ୍ରତିବାଦ କରିଥିଲା। ଏହା ନିର୍ବାଚନ ପରିଚାଳନା ନିୟମାବଳୀ-୧୯୬୧ର ଧାରା ୪୧କୁ ଉଲ୍ଲଘଂନ କରୁଛି ବୋଲି ବିଜେଡି ଦର୍ଶାଇଥିଲା। କିନ୍ତୁ ଦଳ ଏହି ବିବାଦ ଉପୁଜିବାର ପ୍ରାୟ ୪୨ଦିନ ପରେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲା। ରାଜ୍ୟସଭା ନିର୍ବାଚନରେ ବିଜେପିର ୨ଜଣ ଓ ବିଜେପି ସମର୍ଥିତ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ବିଜେଡିର ଜଣେ ପ୍ରାର୍ଥୀ ବିଜୟୀ ହୋଇଥିଲେ।
