ଶୁଖିଗଲା ଚିରସ୍ରୋତା ଝଞ୍ଜାବତୀ

କୋରାପୁଟ: କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ୍‌ ଦେଇ ପ୍ରବାହିତ ଚିରସ୍ରୋତା ଝଞ୍ଜାବତୀ ନଦୀ ଶୁଖିଲା ପଡ଼ିଛି। ଧାରଟିଏ ହୋଇ ନଦୀ ପ୍ରବାହିତ ହେଉଥିବାରୁ ଚାଷ କାର୍ଯ୍ୟ ପାଇଁ ପାଣି ମିଳୁନି। ଏହାସହ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ୨୦୨୫ ଅ‌କ୍ଟୋବରରୁ ନାରାୟଣପାଟଣା, ବନ୍ଧୁଗାଁ ଅଞ୍ଚଳରେ ବର୍ଷା ହୋଇ ନଥିବାରୁ ନଦୀ ଜଳସ୍ତର ହ୍ରାସ ପାଇ ଚାଲିଛି। ନାରାୟଣପାଟଣା ବ୍ଲକର ତଳଗୁମାଣ୍ଡି ଓ ବିଜାଘାଟି ଅଞ୍ଚଳରୁ ଝଞ୍ଜାବତୀ ନଦୀର ଉତ୍ପତ୍ତି। ଲକ୍ଷ୍ମୀପୁରରୁ ପ୍ରବାହିତ ଚମ୍ପାବତୀ ନଦୀ ନାରାୟଣପାଟଣା ଝାଡ଼େଶ୍ବର ମନ୍ଦିର ନିକଟରେ ଝଞ୍ଜାବତୀ ସହ ମିଶିଛି। ଝଞ୍ଜାବତୀ, ଚମ୍ପାବତୀ ଏକାଠି ନାରାୟଣପାଟଣା, ବନ୍ଧୁଗାଁ ଦେଇ ୩୦ କିମି ପ୍ରବାହିତ ହେବା ପରେ ନାଗାବଳୀରେ ମିଶିଛି। ବିଜାଘାଟି, ତେନ୍ତୁଳିପଦର, ବାଲିପେଟା ପାହାଡ଼ିଆ ଅଞ୍ଚଳରେ ବର୍ଷା ହେଲେ ଏହାର ପାଣି ଝଞ୍ଜାବତୀ ନଦୀକୁ ଆସିଥାଏ। ତେବେ ବର୍ଷ ବର୍ଷ ଧରି ପାହାଡ଼ିଆ ଅଞ୍ଚଳରେ ଗଛକଟା ସହିତ ପୋଡ଼ୁ ଚାଷ ବଢ଼ିବା ଯୋଗୁଁ ବର୍ଷା ପରିମାଣ କମିବାରେ ଲାଗିଛି।

ନିୟମିତ ବର୍ଷା ହେଉ ନଥିବାରୁ ନଦୀ ଜଳସ୍ରୋତ କମିବାରେ ଲାଗିଛି। ଦିନ ଥିଲା ଏପ୍ରିଲ ଓ ମେ’ ମାସରେ ନଦୀରେ ୩ରୁ ୪ ଫୁଟର ପାଣି ପ୍ରବାହିତ ହେଉଥିଲା। ଉଭୟ ବ୍ଲକର ନଈକୂଳିଆବାସୀ ଚାଷ କାର୍ଯ୍ୟ, ପିଇବା ପାଣିରୁ ଆରମ୍ଭ କରି ସମସ୍ତ ପ୍ରକାର କାର୍ଯ୍ୟ ପାଇଁ ନଦୀ ଉପରେ ନିର୍ଭର କରୁଥିଲେ। ଅଞ୍ଚଳବାସୀ ଲଳିତ ପରିଡ଼ା କହିଛନ୍ତି ଗତ ୩ ବର୍ଷ ହେବ ଏପ୍ରିଲରେ ନଦୀ ଶୁଖିଯାଉଛି। ଫଳରେ ଚାଷ କାର୍ଯ୍ୟ ହୋଇପାରୁନି। ଗ୍ରୀଷ୍ମରେ ନଦୀ ଶୁଖିଲା ପଡ଼ୁଥିବାରୁ ଲୋକେ ଗାଧୋଇବା ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନଦୀ ଧାରଟିଏ ହୋଇ ପ୍ରବାହିତ ହେଉଥିବାରୁ ପାନୀୟ ଜଳ ପାଇଁ ନଳକୂପ ଉପରେ ନିର୍ଭର କରୁଛନ୍ତି। ବର୍ଷା ସହିତ ଅନ୍ୟ ଦିନରେ ଆନ୍ଧ୍ରକୁ ବହି ଯାଉଥିବା ଝଞ୍ଜାବତୀ ଜଳକୁ ଚାଷ କାର୍ଯ୍ୟ ଓ ପାନୀୟ ଜଳ ରୂପେ ବ୍ୟବହାର କରିବା ପାଇଁ ୨୦୨୨ରେ ତତ୍କାଳୀନ ସରକାର ନାରାୟଣପାଟଣା ବ୍ଲକ୍‌ କୁମ୍ଭାରୀ ପଞ୍ଚାୟତର ଚିନ୍ତାବେଡ଼ାରେ ବ୍ୟାରେଜ୍ ନିର୍ମାଣ ଯୋଜନା କରିଥିଲେ। ଟେଣ୍ଡର ଆହ୍ବାନ ପରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। କିନ୍ତୁ ୨୦୨୪ ନିର୍ବାଚନ ପରେ ବ୍ୟାରେଜ୍‌ ନିର୍ମାଣ କାର୍ଯ୍ୟ ଅଟକି ରହିଛି।  ସୂଚନାଯୋଗ୍ୟ, ମାର୍ଚ୍ଚରେ ହୋଇଥିବା କାଳବୈଶାଖୀ ବର୍ଷାରେ ନାରାୟଣପାଟଣାରେ ୩୦ ମିମି ଏବଂ ଏପ୍ରିଲରେ ୫୦ ମିମି ବର୍ଷା ରେକର୍ଡ ହୋଇଛି।

Leave a Reply