ଆଣ୍ଡାମାନ ଛୁଇଁଲା ମୌସୁମୀ : ଜୁନ୍ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଆଗମନ ସମ୍ଭାବନା

ଭୁବନେଶ୍ୱର : ଦେଶରେ ବର୍ଷା ଋତୁର ଶୁଭାରମ୍ଭ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ସମଗ୍ର ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜକୁ ଛୁଇଁଛି । ଏହାର ପ୍ରଭାବରେ ଉକ୍ତ ଅଞ୍ଚଳରେ ମେଘୁଆ ପାଗ ସହ ବର୍ଷା ଆରମ୍ଭ ହୋଇଯାଇଛି । ପାଣିପାଗ ବିଜ୍ଞାନୀଙ୍କ ମତରେ, ବାୟୁମଣ୍ଡଳୀୟ ସ୍ଥିତି ଅନୁକୂଳ ଥିବାରୁ ମୌସୁମୀ ବାୟୁ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଆସନ୍ତା ମେ’ ଶେଷ ସୁଦ୍ଧା ଏହା କେରଳ ଛୁଇଁବାର ସମ୍ଭାବନା ରହିଛି । ଯଦି ପାଣିପାଗର ଗତିପଥ ଅପରିବର୍ତ୍ତିତ ରହେ, ତେବେ ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିପାରେ । ଏହା ପ୍ରଚଣ୍ଡ ରୌଦ୍ରତାପରୁ ତ୍ରାହି ଦେବା ସହ ଚାଷୀକୂଳ ପାଇଁ ଆଶ୍ୱସ୍ତି ଆଣିଦେବ ବୋଲି ଆଶା କରାଯାଉଛି ।